Skip to main content
Source
Tathya
https://tathya.in/%E0%AC%B8%E0%AC%AE%E0%AD%8D%E0%AC%AA%E0%AC%A4%E0%AD%8D%E0%AC%A4%E0%AC%BF-%E0%AC%AC%E0%AC%A2%E0%AC%BF%E0%AC%9B%E0%AC%BF-%E0%AD%A8%E0%AD%A9%E0%AD%A9%E0%AD%AE-%E0%AC%AA%E0%AD%8D%E0%AC%B0%E0%AC%A4/
Author
Tathya Correspondent
Date
City
Bhubaneswar

ବିଧାନସଭା ନିର୍ବାଚନ ଲଢୁଥିବା ବିଧାୟକମାନଙ୍କ ସମ୍ପତ୍ତି ପାଞ୍ଚବର୍ଷ ମଧ୍ୟରେ ୨୩୦୦ ଗୁଣରୁ ଅଧିକ ବଢିଥିବାବେଳେ କିଛି ବିଧାୟକଙ୍କ ସମ୍ପତ୍ତି ପାଖାପାଖି ଅଧା କମିଯାଇଛି । ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ପରିମାଣ ୧୧% ପ୍ରତିଶତ ବଢିଛି ।

ଚଳିତ ବିଧାନସଭାର ୧୦୩ ଜଣ ସଦସ୍ୟ ପୁର୍ନବାର ନିର୍ବାଚନ ଲଢୁଥିବାବେଳେ ନିଜ ନିଜର ସମ୍ପତ୍ତି ନେଇ ସେମାନେ ଦେଇଥିବା ସତ୍ୟପାଠ ଆଧାରରେ ଏଡିଆର ଓ ଓଡିଶା ଇଲେକସନ୍‍ ୱାଚ ଏହି ସୂଚନା ପ୍ରଦାନ କରିଛି । ତାଲିକାରେ ସବୁଠାରୁ ଉପରେ ରହିଛନ୍ତି ବିଧାୟକ ସୌଭିକ ବିଶ୍ୱାଳ । ୨୦୧୯ ନିର୍ବାଚନ ସମୟରେ ସେ ନିଜର ସମ୍ପତ୍ତି ପରିମାଣ ୨୦ଲକ୍ଷ ୬୮ହଜାର ୮୦୦ ଟଙ୍କା ଦର୍ଶାଇଥିବାବେଳେ ଚଳିତ ନିର୍ବାଚନରେ ୪କୋଟି ୮୩ଲକ୍ଷ ଟଙ୍କାରୁ ଅଧିକ ଉଲ୍ଲେଖ କରିଛନ୍ତି । ଏହି ପାଞ୍ଚବର୍ଷରେ ତାଙ୍କ ସମ୍ପତ୍ତିର ପରିମାଣ ୨୩୩୮% ବଢିଛି । ସେ ତାଙ୍କର ଆୟର ସ୍ରୋତ ବେତନ, ଘରଭଡା, ବ୍ୟାଙ୍କରୁ ମିଳୁଥିବା ସୁଧ ବୋଲି ଉଲ୍ଲେଖ କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସାରଦା ନାୟକଙ୍କ ସମ୍ପତ୍ତି ୮୧୧ ପ୍ରତିଶତ ବଢିଥିବାବେଳେ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କର ୪୯୬% ବଢଛି । ସୂର୍ଯ୍ୟମଣି ବିଧାୟିକା ଭାବେ ବେତନ ପାଉଥିବାବେଳେ ତାଙ୍କ ସ୍ୱାମୀଙ୍କର ମାଛ ବେପାର ରହିଛି । ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ସମ୍ପତ୍ତି ୨୩୮%, ପ୍ରଫୁଲ ମଲ୍ଲିକଙ୍କର ୨୧୮%, ବ୍ରଜ କିଶୋର ପ୍ରଧାନଙ୍କର ୨୮୯%, ଭାଷ୍କର ମଢେଇଙ୍କର ୨୫୯%, ପ୍ରକାଶ ସୋରେନଙ୍କର ୨୯୬%, ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କର ୩୦୬%, ପ୍ରତାପ କୁମାର ଦେବଙ୍କର ୨୬୦%, ପ୍ରୀତି ରଞ୍ଜନ ଘଡାଇଙ୍କର ୧୩୧%, କୁସୁମ ଟେଟେଙ୍କର ୧୫୬%, ଲତିକା ପ୍ରଧାନଙ୍କର ୨୧୧%, ସ୍ନେହାଙ୍ଗିନୀ ଛୁରିଆଙ୍କର ୧୪୫% ବୃଦ୍ଧି ପାଇଛି ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ୨୦୧୯ରେ ୬୩,୮୭,୩୧,୮୧୫ ଟଙ୍କା ଥିବାବେଳେ ୨୦୨୪ ସତ୍ୟପାଠ ଅନୁଯାୟୀ ତାହା ୭୧,୦୭,୭୮,୩୬୪ ଟଙ୍କାରେ ପହଞ୍ଚିଛି । ଅର୍ଥାତ୍‍ ମୁଖ୍ୟମନ୍ତ୍ରୀଙ୍କର ସମ୍ପତ୍ତି ଏହି ୫ବର୍ଷ ମଧ୍ୟରେ ୧୧% ବଢିଛି । ମୁଖ୍ୟମନ୍ତ୍ରୀଙ୍କର ମୁଖ୍ୟ ଆୟ ତାଙ୍କର ବେତନ ଏବଂ ବ୍ୟାଙ୍କ୍‍ରୁ ମିଳୁଥିବା ସୁଧ ବୋଲି ଉଲ୍ଲେଖ କରିଛନ୍ତି ।

ସେହିଭଳି କିଛି ବିଧାୟକଙ୍କ ସମ୍ପତ୍ତି ପରିମାଣ ହ୍ରାସ ପାଇଛି । ଏଥିରେ ସବୁଠାରୁ ଉପରେ ରହିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା । ଗତ ୫ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତି ପରିମାଣ ୪୮ ପ୍ରତିଶତ ହ୍ରାସ ପାଇଛି । ୨୦୧୯ ନିର୍ବାଚନ ସମୟରେ ତାଙ୍କ ସମ୍ପତ୍ତି ପରିମାଣ ୩,୦୯୭୩,୪୮୯ ଟଙ୍କା ଥିବାବେଳେ ଚଳିତ ନିର୍ବାଚନରେ ସତ୍ୟପାଠାରେ ତାହା ୧,୬୨,୧୧,୬୨୭କୁ ହ୍ରାସ ପାଇଥିବା ଉଲ୍ଲେଖ କରାଯାଇଛି । ଶ୍ରୀ ଜେନା ତାଙ୍କର ଆୟ ମୁଖ୍ୟତଃ ବିଧାୟକ ଭାବେ ମିଳୁଥିବା ବେତନ, ପୂର୍ବ ବ୍ୟବସାୟରୁ ହେଉଥିବା ଆୟ, ଘରଭଡା ଏବଂ ଅନ୍ୟାନ୍ୟ ସୂତ୍ର ବୋଲି ଉଲ୍ଲେଖ କରିଛନ୍ତି ।

ସେହିଭଳି ବିଜେଡି ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ସମ୍ପତ୍ତି ୩୬% ହ୍ରାସ ପାଇଥିବାବେଳେ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କର ୩୧%, ମନ୍ତ୍ରୀ ବାସନ୍ତି ହେମ୍ବ୍ରମଙ୍କର ୧୬% ଓ ବିଜେଡି ବିଧାୟିକା ଦୀପାଳି ଦାସଙ୍କର ୭ ପ୍ରତିଶତ ହ୍ରାସ ପାଇଛି । ହ୍ରାସ ପାଇଥିବା ସଦସ୍ୟଙ୍କ ମଧ୍ୟରେ ଦୀପାଳୀ ହେଉଛନ୍ତି ସବୁଠାରୁ ଧନି । ତାଙ୍କ ସମ୍ପତ୍ତିର ପରିମାଣ ୭ ପ୍ରତିଶତ ହ୍ରାସ ପାଇଥିଲେ ମଧ୍ୟ ୩୭କୋଟି ଟଙ୍କା ଉପରେ ରହିଛି ।