ଦେଶରେ ବର୍ତ୍ତମାନ ଥିବା ମୋଟ ବିଧାୟକଙ୍କ ସମ୍ପତ୍ତିକୁ ନେଇ ଏକ ରିପୋର୍ଟ ସାମନାକୁ ଆସିଛି । ଏହି ରିପୋର୍ଟ ଅନୁସାରେ, ୪୦୦୧ ବିଧାୟକଙ୍କ ମୋଟ ସମ୍ପତ୍ତି ୫୪,୫୪୫ କୋଟି ଟଙ୍କା ରହିଛି । ଯାହା ନାଗାଲାଣ୍ଡ, ମିଜୋରାମ ଏବଂ ସିକ୍କିମର ୨୦୨୩-୨୪ର ମିଳିତ ବାର୍ଷିକ ବଜେଟଠାରୁ ଅଧିକ । ଏହି ବିଧାୟକଙ୍କ ମଧ୍ୟରୁ ବିଜେପିର ୧୩୫୬ ବିଧାୟକଙ୍କ ନିକଟରେ ୧୬,୨୩୪ କୋଟି ଟଙ୍କା ଏବଂ ୭୧୯ କଂଗ୍ରେସ ବିଧାୟକଙ୍କ ପାଖରେ ୧୫,୭୯୮ କୋଟି ଟଙ୍କାର ସମ୍ପତ୍ତି ରହିଛି ।
ଆସୋସିଏସନ ଫର ଡେମୋକ୍ରେଟିକ୍ ରିଫର୍ମ୍ସ ଏବଂ ନ୍ୟାସନାଲ ଇଲେକ୍ସନ ୱାଚ୍ ଏହି ରିପୋର୍ଟ ଜାରି କରିଛି । ଏଥିରେ ବିଧାୟକଙ୍କ ଦ୍ୱାରା ପୂର୍ବ ନିର୍ବାଚନ ଲଢିବା ସମୟରେ ଦାଖଲ କରିଥିବା ସତ୍ୟପାଠ ଡାଟାକୁ ବିଶ୍ଲେଷଣ କରି ଏହା କୁହାଯାଇଛି । ରିପୋର୍ଟରେ କୁହାଯାଇଛି ଯେ ମୋଟ ୪୦୩୩ ବିଧାୟକଙ୍କ ମଧ୍ୟରୁ ୪୦୦୧ ସତ୍ୟପାଠର ବିଶ୍ଲେଷଣ କରାଯାଇଛି ।
ରିପୋର୍ଟ ଅନୁସାରେ ୪୦୦୧ ବିଧାୟକଙ୍କ ମୋଟ ସମ୍ପତ୍ତି ୫୪,୫୪୫ କୋଟି ଟଙ୍କା । ଏହି ରାଶି ତିନି ରାଜ୍ୟ ନାଗାଲାଣ୍ଡ, ମିଜୋରାମ ଏବଂ ସିକ୍କିମର ୨୦୨୩-୨୪ର ମିଳିତ ବାର୍ଷିକ ବଜେଟ୍ ୪୯,୧୦୩ କୋଟି ଟଙ୍କାଠାରୁ ଅଧିକ ରହିଛି । ନାଗାଲାଣ୍ଡର ବାର୍ଷିକ ବଜେଟ୍ ୨୦୨୩-୨୪ ପାଇଁ ୨୩,୦୮୬ କୋଟି ଟଙ୍କା, ମିଜୋରାମର ୧୪,୨୧୦ କୋଟି ଟଙ୍କା ଏବଂ ସିକ୍କିମର ୧୧,୮୦୭ କୋଟି ଟଙ୍କା ।
ରିପୋର୍ଟରେ କୁହାଯାଇଛି ଯେ ବିଜେପି ଏବଂ କଂଗ୍ରେସ ବିଧାୟକଙ୍କୁ ଛାଡ଼ି ୱାଇଏସଆର କଂଗ୍ରେସର ୧୪୬ ବିଧାୟକଙ୍କ ପାଖରେ ମୋଟ ୩,୩୭୯ କୋଟି ଟଙ୍କାର ସମ୍ପତ୍ତି ରହିଛି । ୧୩୧ ଡିଏମକେ ବିଧାୟକଙ୍କ ପାଖରେ ୧,୬୬୩ କୋଟି ଟଙ୍କାର ସମ୍ପତ୍ତି ଅଛି । ୧୬୧ ଆପ୍ ବିଧାୟକଙ୍କ ପାଖରେ ମୋଟ ୧,୬୪୨ କୋଟି ଟଙ୍କାର ସମ୍ପତ୍ତି ରହିଛି । ଏଥିରେ କୁହାଯାଇଛି ଯେ ୮୪ ରାଜନୈତିକ ଦଳ ଏବଂ ନିର୍ଦଳୀୟ ବିଧାୟକଙ୍କ ହାରାହାରି ସମ୍ପତ୍ତି ୧୩.୬୩ କୋଟି ଟଙ୍କା ରହିଛି ।
ପ୍ରମୁଖ ରାଜନୈତିକ ଦଳରେ ୧୩୫୬ ବିଜେପି ବିଧାୟକଙ୍କ ହାରାହାରି ସମ୍ପତ୍ତି ୧୧.୯୭ କୋଟି ଟଙ୍କା ରହିଛି । ୭୧୯ କଂଗ୍ରେସ ବିଧାୟକଙ୍କ ହାରାହାରି ସମ୍ପତ୍ତି ୨୧.୯୭ କୋଟି ଟଙ୍କା । ୨୨୭ ଟିଏମସି ବିଧାୟକଙ୍କ ୩.୫୧ କୋଟି ଟଙ୍କା, ୧୬୧ ଆପ ବିଧାୟକଙ୍କ ୧୦.୨୦ କୋଟି ଟଙ୍କା ଏବଂ ୧୪୬ ୱାଇଏସଆରସିପି ବିଧାୟକଙ୍କ ହାରାହାରି ସମ୍ପତ୍ତି ୨୩.୧୪ କୋଟି ଟଙ୍କା ରହିଛି ।
ଏଥିରେ କୁହାଯାଇଛି ଯେ କର୍ଣ୍ଣାଟକର ୨୨୩ ବିଧାୟକଙ୍କ ମୋଟ ସମ୍ପତ୍ତି ୧୪,୩୫୯ କୋଟି ଟଙ୍କା । ସେହିପରି ମହାରାଷ୍ଟ୍ରର ୨୮୪ ବିଧାୟକଙ୍କ ମୋଟ ସମ୍ପତ୍ତି ୬,୬୭୯ କୋଟି ଟଙ୍କା, ଆନ୍ଧ୍ର ପ୍ରଦେଶର ୧୭୪ ବିଧାୟକଙ୍କ ମୋଟ ସମ୍ପତ୍ତି ୪,୯୧୪ କୋଟି ଟଙ୍କା ରହିଛି । ଏହି ରିପୋର୍ଟ ୨୮ ରାଜ୍ୟର ବିଧାନସଭା ଏବଂ ଦୁଇ କେନ୍ଦ୍ର ଶାସିତ ପ୍ରଦେଶର ୪୦୦୧ ବିଧାୟକଙ୍କୁ ନେଇ ଜାରି କରାଯାଇଛି । ଏଥିରେ ୮୪ ରାଜନୈତିକ ଦଳ ଏବଂ ନିର୍ଦଳୀୟ ବିଧାୟକଙ୍କ ତଥ୍ୟ ରହିଛି ।