ନୂଆଦିଲ୍ଲୀ: ଡିଏମକେ, ଆପ୍, ୱାଇଏସଆର କଂଗ୍ରେସ, ଜେଡିୟୁ, ବିଜେଡି ସହ ମୋଟ ୧୦ ଆଞ୍ଚଳିକ ରାଜନୈତିକ ଦଳର ବାର୍ଷିକ ଆୟ ସାମନାକୁ ଆସିଛି । ରାଜନୈତିକ ଦଳଗୁଡିକ ଉପରେ ନଜର ରଖୁଥିବା ଏକ ଏନଜିଓ ରିପୋର୍ଟରେ ଏହା ସାମନାକୁ ଆସିଛି । ରିପୋର୍ଟରେ କୁହାଯାଇଛି ଯେ ନିର୍ବାଚନୀ ବଣ୍ଡ ଜରିଆରେ ୨୦୨୧-୨୨ରେ ଏହି ଦଳଗୁଡିକୁ ମୋଟ ୮୫୨.୮୮ କୋଟି ଟଙ୍କା ଚାନ୍ଦା ମିଳିଛି ।
ଆସୋସିଏସନ ଫର୍ ଡେମୋକ୍ରେଟିକ୍ ରିଫର୍ମ (ଏଡିଆର) ନିଜ ରିପୋର୍ଟରେ କହିଛି ଯେ ଗତ ବର୍ଷ ୩୬ ରାଜନୈତିକ ଦଳକୁ ମୋଟ ୧,୨୧୩ କୋଟି ଟଙ୍କା ମିଳିଛି । ନିର୍ବାଚନ ଆୟୋଗଙ୍କୁ ଦଳଗୁଡିକ ଦେଇଥିବା ନିଜ ଅଡିଟ୍ ରିପୋର୍ଟକୁ ବିଶ୍ଲେଷଣ କରି ଏଡିଆର ୨୦୨୧-୨୨ ପାଇଁ 36 ଆଞ୍ଚଳିକ ଦଳର ଆୟ ଏବଂ ଖର୍ଚ୍ଚ (ବ୍ୟୟ)ର ରିପୋର୍ଟ ଦେଇଛି । ୧୦ ଆଞ୍ଚଳିକ ଦଳ ୨୦୨୧-୨୨ରେ ୮୫୨.୮୮ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ ପାଇଛନ୍ତି ।
ତାମିଲାନାଡୁରେ ଶାସନରେ ଥିବା ଡିଏମକେ ବର୍ଷକରେ ସବୁଠୁ ଅଧିକ ୩୧୮ କୋଟି ଟଙ୍କାର ଚାନ୍ଦା ମିଳିଥିବା ସୂଚନା ଦେଇଛି । ଦ୍ୱିତୀୟ ସ୍ଥାନରେ ବିଜେଡି ରହିଛି । ବିଜୁ ଜନତା ଦଳକୁ ୩୦୭ କୋଟି ଟଙ୍କା ମିଳିଛି । ଟିଆରଏସକୁ ୨୧୮ କୋଟି ଟଙ୍କା ମିଳିଛି । ଦେଶର ଶୀର୍ଷ ୫ ଦଳର ମୋଟ ଆୟ ୧୦୨୪.୪୨୪ କୋଟି ଟଙ୍କା ରହିଥିଲା ।
୩୬ ଦଳ ମଧ୍ୟରୁ ୩୫ ପାର୍ଟି ୨୦୨୦-୨୧ ଏବଂ ୨୦୨୧-୨୨ର ଆୟର ତୁଳନା କରାଯାଇଛି, ଏଥିରୁ ୨୦ ଦଳର ଆୟ ଗତ ବର୍ଷ ତୁଳନାରେ ବଢିଛି । ସେହିପରି ୧୫ ଦଳର ଆୟ ଗତ ବର୍ଷ ତୁଳନାରେ କମିଛି । ୨୦୨୧-୨୨ରେ ୩୫ ଦଳର ଆୟ ମାତ୍ର ୫୬୫.୪୨୪ କୋଟି ଟଙ୍କା ଥିଲା, ଅନ୍ୟପଟେ ୨୦୨୧-୨୨ରେ ଦଳଗୁଡିକର ଆୟ ୧,୨୧୨.୭୦୮ କୋଟି ଟଙ୍କା ହୋଇଥିଲା । ଦୁଇ ବର୍ଷ ତୁଳନାରେ ଏହି ଦଳଗୁଡିକର ଆୟ ୧୧୪.୪୮ ପ୍ରତିଶତ ବଢିଛି ।
୨୦୨୦-୨୧ ତୁଳନାରେ ବିଜେଡିର ଆୟ ୨୩୩ କୋଟି ଟଙ୍କା ବଢିଛି । ସେହିପରି ଟିଆରଏସର ୧୮୦ କୋଟି, ଡିଏମକେର ଆୟ ୧୬୮ କୋଟି ଟଙ୍କା ବଢିଛି । ସେହି ବର୍ଷ ଶେଷ ସୁଦ୍ଧା ଡିଏମକେ ନିକଟରେ ୨୮୩ କୋଟି ଟଙ୍କା, ବିଜେଡି ନିକଟରେ ୨୭୮ କୋଟିରୁ ଅଧିକ ଟଙ୍କା ରହିଛି । ଟିଆରଏସ ପାଖରେ ମାତ୍ର ୧୯୦ କୋଟି ଟଙ୍କା ରହିଛି । ୨୦୨୧-୨୨ରେ ୩୬ ଆଞ୍ଚଳିକ ଦଳର ମୋଟ ଖର୍ଚ୍ଚ ୨୮୮ କୋଟି ଟଙ୍କା ଥିଲା । ଶୀର୍ଷ ପାଞ୍ଚ ଦଳର ମୋଟ ଖର୍ଚ୍ଚ ୧୭୬.୭୭୯ କୋଟି ଟଙ୍କା ଥିଲା ।
ସବୁଠୁ ଅଧିକ ଖର୍ଚ୍ଚ କରିଥିବା ଦଳ ମଧ୍ୟରେ ୫୪ କୋଟି ଟଙ୍କା ସହ ସମାଜବାଦୀ ପାର୍ଟି ଶୀର୍ଷରେ ରହିଛି । ସେହିପରି ଡିଏମକେ ୩୫ କୋଟି ଟଙ୍କା ସହ ଦ୍ୱିତୀୟ ସ୍ଥାନରେ ରହିଛି । ଆପ୍ ୩୦ କୋଟି ଖର୍ଚ୍ଚ କରିଛି, ବିଜେଡି ୨୮ କୋଟି ଟଙ୍କା ଏବଂ ଏଆଇଏଡିଏମକେ ୨୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।